ଆଶା
ଆଶା

ଆଶା

ମଣ୍ଟୁ ଆଜି ବହୁ ଦିନ ପରେ ଗାଁକୁ ଆସିଛି । ନଈ କୂଳ ମନ୍ଦିର ପାଖରେ ବସିଥିଲା ବେଳେ ହଟାତ ତା’ ନଜର ପଡ଼ିଲା ମନ୍ଦିର କାନ୍ଥ ଉପରେ ଅଙ୍କା ହେଇଥିବା ଗୋଟେ ଝାପ୍ସା ଚିତ୍ର ଉପରେ । ମଣ୍ଟୁ ଆଉ ମିଲି ଦୁହେଁ ମିଶି ସେହି ଚିତ୍ରଟି ଆଙ୍କିଥିଲେ ବହୁ ବର୍ଷ ତଳେ । ମିଲି ଗାଁ ଛାଡ଼ି ଗଲା ପରେ ଆଉ ମଣ୍ଟୁ ସହ କେବେ ତା’ର ଦେଖା ହେଇନି କି କେବେ ଦେଖା ହେବ ସେ କଥା ବି ମଣ୍ଟୁ ଜାଣିନି । ହେଲେ ସେହି ମନ୍ଦିର କାନ୍ଥର ଚିତ୍ରଟି ଯେମିତି ଆଖି ଠାରି କହୁଛି ସବୁ ଦିନ ପାଇଁ ଲିଭି ଯିବା ପୂର୍ବରୁ ତୁମେ ଦୁହେଁ ଆସି ମତେ ଆଉ ଥରେ ଆଙ୍କି ଦେଇଯାଅ ।

“ଭାଉଜ ନମସ୍କାର” ଶୁଣି ଚମକି ପଡ଼ି ପଛକୁ ଚାହିଁଲା ରମା ମାଉସୀ । ଦେଖିଲେ ମହାନ୍ତି ବାବୁ ଆଉ ଶାନ୍ତି ତାଙ୍କ ଘର ଆଗରେ । ଆରେ ! ତମେମାନେ ଏତେ ଦିନ ପରେ !! ପୁଣି ଏଠି?- ରମା ମାଉସୀ ପଚାରିଲେ । ମହାନ୍ତି ବାବୁ ହସି ହସି କହିଲେ, “ବୁଝିଲ ଭାଉଜ ! ଏ ଦୁନିଆଟା ସତରେ ଗୋଲ । ଚାକିରି ଜୀବନର ପ୍ରଥମ ପାହାଚଟା ଏହି ଗାଁରେ କାଟିଥିଲି । ପୁଣି ବାର ବର୍ଷ ଇଆଡ଼େ ସିଆଡ଼େ ବୁଲି ଚାକିରି ଜୀବନର ଶେଷ ପାହାଚଟା ଏହି ଗାଁରେ କାଟିବା ପାଇଁ ଆସିଛି ।” “ମାନେ? ମୁଁ ବୁଝି ପାରିଲି ନାହିଁ ।” ରମା ମାଉସୀ ଆଶ୍ଚର୍ଯ୍ୟ ହେଇ ପଚାରିଲେ !!! ମହାନ୍ତି ବାବୁ କହିଲେ, “ଆରେ ଭାଉଜ ଆମର ପୁଣି ଏଠାକୁ ବଦଳି ହେଇ ଯାଇଛି ।”

ଏତିକିବେଳେ ଝିଅଟିଏ ଆସି ରମା ମାଉସୀଙ୍କୁ ମୁଣ୍ଡିଆ ମାରିଲା । ରମା ମାଉସୀ ବଡ଼ ବଡ଼ ଆଖି କରି ଶାନ୍ତିଙ୍କୁ ପଚାରିଲେ “ଏ କିଏ ଶାନ୍ତି? ମୁଁ ତ କାଇଁ ଚିହ୍ନି ପାରୁନି !” ଶାନ୍ତି କହିଲେ, “ଚିହ୍ନି ପାରୁନ କି ନାନୀ, ଏ ପରା ତମ ଗେଲ୍ହି !!!” ରମା ମାଉସୀ ମିଲିକୁ କୁଣ୍ଢେଇ ପକେଇ କହିଲେ, “ଆଲୋ ମୋ ଧନଟା କେଡ଼େ ବଡ଼ ହେଇ ଗଲାଣି ! ଏଡ଼ିକି ଛୁଆଟେ ବେଳେ ଦେଖିଥିଲି । ତତେ କଣ ତୋ ମାଉସୀ କଥା ଜମା ମନେ ପଡ଼ୁ ନ ଥିଲା ମା?” ତା’ ଗାଲରେ ଟିକେ କଜଳ ଲଗେଇ ଦେଇ ପୁଣି କହିଲେ, “କାହା ନଜର ନ ଲାଗୁ ତୋ ଦେହରେ !!”

“ଆଲୋ ମା, ତୁ ଏବେ କ’ଣ କରୁଛୁ ?” ରମା ମାଉସୀ ପଚାରିଲେ । “ବାଣୀ ବିହାରରୁ ପିଜି ସାରି ଏବେ ଗୋଟେ ବ୍ୟାଙ୍କରେ ଚାକିରି ପାଇଛି । ତିନିମାସ ପାଇଁ ଟ୍ରେନିଂରେ ବାଙ୍ଗାଲୋର ଯିବି । ଟ୍ରେନିଂ ସରିଲା ପରେ ପୋଷ୍ଟିଂ କୋଉଠି ହେବ ଜଣା ପଡ଼ିବ ।” ଏକା ନିଶ୍ୱାସରେ କହିଗଲା ମିଲି ।

ରମା ମାଉସୀ ଶାନ୍ତିଙ୍କ ଆଡ଼କୁ ଚାହିଁ କହିଲେ, “ମୋ ଛୋଟ ଛୁଆଟା ପାଠ ପଢ଼ା ସାରି ଚାକିରି କଲାଣି । ଆଉ ଆମର ଗୋଟେ ବାଳୁଙ୍ଗା ପାଠ ପଢ଼ୁଛି ଯେ ତା’ ପଢ଼ା ହିଁ ସରୁନି ! କି ପାଠ ପଢ଼ୁଛି ଭଗବାନଙ୍କୁ ଜଣା !!” ଏ କଥା ଶୁଣି ମିଲି ପଚାରିଲା, “ମଣ୍ଟୁ ଭାଇ ଏବେ କ’ଣ କରୁଛନ୍ତି ମାଉସୀ? ଆଉ କୋଉଠି ଅଛନ୍ତି?” ରମା ମାଉସୀ କହିଲେ, କେଜାଣି ଲୋ ମା କି ପାଠ ସେ ପଢ଼ୁଛି ମତେ ଜଣା ନାହିଁ । କ’ଣ ଗୋଟେ ଗବେଷଣା କରୁଛି, ସେହି ବାଙ୍ଗାଲୋରରେ ରହିକି । ଯା, ତୁ ନିଜେ ପଚାରି ବୁଝିବୁ ସେ କ’ଣ କରୁଛି ।”

“ମଣ୍ଟୁ ଭାଇ ଏବେ କଣ ଏଇଠି !!” ଚମକି ପଡ଼ିଲା ମିଲି “ହଁ, କୁଆଡେ ଗୋଟେ ବିଦେଶ ଯାଇଥିଲା । ତିନି ଚାରି ବରଷପରେ ଗାଁକୁ ଆସିଛି । ହେଲେ ଆସୁ ଆସୁ ଯାଇ ନଈ କୂଳରେ ବସିଛି । ବସି ବସି ସେଠି ସେ କ’ଣ କରୁଛି କେଜାଣି !!”

“ବୋଉ, ମୁଁ ଯିବି ନଈ କୂଳକୁ?” ମିଲି ପଚାରିଲା ।

“ଯାଉନୁ !! ପଚାରୁଛୁ କ’ଣ ।” କହିଲେ ଶାନ୍ତି ଦେବୀ
ମନରେ ଅସୁମାରୀ ପ୍ରଶ୍ନ ଆଉ ପାଦରେ ଚଞ୍ଚଳତା ନେଇ ନଈ କୂଳକୁ ପାଦ ପଢ଼ାଇଲା ମିଲି । ଲାଜୁଆ ଆଖିରେ ଏ ଅଲଗା ଚମକ, ଚଞ୍ଚଳ ମନ, ଭାରି ହୃଦୟ ଆଉ ଅନେକ ଗୁଡ଼ାଏ ପ୍ରଶ୍ନ ଧରି ମିଲିର ପାଦ ବଢ଼ି ଚାଲିଲା ନଈ କୂଳକୁ ।

“ଆରେ ମଣ୍ଟୁଆ, କ’ଣ ବହୁଦିନ ପରେ ତୋ ଦେଖା । କୁଆଡ଼େ ଗାଏବ ହେଇ ଯାଇଥିଲୁ କି?” ମନ୍ଦିରର ପୂଜାରୀ କାଳିଆ ମଉସା ମଣ୍ଟୁକୁ ଦେଖି ପଚାରିଲେ । ମଣ୍ଟୁ ପଛକୁ ବୁଲି ମୁଣ୍ଡିଆଟେ ମାରି କହିଲା, “ନାହିଁ ମଉସା କିଛିଦିନ ପାଇଁ ବାହାରକୁ ଯାଇଥିଲି । ଏଇ ଏବେ ଏବେ ଆସିଛି ।….. ଆଚ୍ଛା ମଉସା, ମନ୍ଦିରର ଏ କି ଅବସ୍ଥା ! କ’ଣ ମରାମତି ଆଉ ରଙ୍ଗ ହେଉନାହିଁ ନା କ’ଣ ?” ମଉସା କହିଲେ, “ଏଠି ଲୋକମାନେ ଦୁଃଖରେ ପଡ଼ିଲେ ହିଁ ମନ୍ଦିର ଖୋଜନ୍ତି । ଆଉ ତା’ପରେ ମନ୍ଦିର ରହୁ କି ନରହୁ, କାହାର କି ଯାଏ ! ବହୁତଥର ଗାଁ ଲୋକଙ୍କୁ କହିଲିଣି ମନ୍ଦିରର ମରାମତି ଆଉ ରଙ୍ଗ କରିବାକୁ, ହେଲେ କେହି ଶୁଣିଲେ ତ !” “ସେହି ଚିତ୍ରଗୁଡ଼ାକୁ ଦେଖ । କିଛି ମନେ ପଡ଼ୁଛି ତୋର?” ମଉସା ପୁଣି ପଚାରିଲେ । “ଶେଷଥର ପାଇଁ ତମେ ସବୁ ପିଲାମାନେ ମିଶି ମନ୍ଦିର ରଙ୍ଗ ହେଲା ବେଳେ ସେହି ଚିତ୍ର ସବୁ କରିଥିଲ । ସେହି ଯୋଉ ଝିଅଟି ତୋ ସହ ମିଶି ସବୁ ଚିତ୍ର କରିଥିଲା, କ’ଣ ତା ନାଁଟା ମନେ ପଡ଼ୁନି !!!”

“ମିଲି” ମଣ୍ଟୁ ଏକ ଭାରି ସ୍ୱରରେ କହିଲା । “ଠିକ୍ ଅଛି ମଉସା, ମୁଁ ଏବେ ଘରେ ମାସେ ପାଖାପାଖି ଅଛି । ଦେଖାଯାଉ, ପୁଣି ଆଉଥରେ ଗାଁର ସବୁ ପିଲାଙ୍କୁ କହି ମନ୍ଦିରର ମରାମତି କରିବାକୁ ଚେଷ୍ଟା କରିବି ।” “ଆଚ୍ଛା !! ମନ୍ଦିର ମରାମତିରେ ମୁଁ ସାହାଯ୍ୟ କରି ପାରିବି କି?” ପଛରୁ କିଏ ଜଣେ ପଚାରିଲା ।

ମଣ୍ଟୁ ବୁଲି କି ଚାହିଁଲା । ଝିଅଟିଏ ଛିଡା ହେଇଛି, ଆଉ ଭାରି ଚିହ୍ନା ଚିହ୍ନା ଲାଗୁଛି । ସତେ ଯେମିତି ଅନେକ ଦିନ ତଳେ ମନ ଗହନର ନିଭୃତ କୋଣରେ ଛାପି ହୋଇଥିବା କେଉଁ ତୈଳଚିତ୍ର ! ଝାପ୍ସା ଝାପ୍ସା ଅଥଚ ଅତି ପରିଚିତ ! ମନେ ପକେଇବାକୁ ଚେଷ୍ଟା କରୁଥାଏ ମଣ୍ଟୁ । ମିଲି ମନ୍ଦିର ନନାଙ୍କୁ ମୁଣ୍ଡିଆ ମାରିଲା । ନନା ପଚାରିଲେ, “କିଏ ତମେ ମା? ମୁଁ ଚିହ୍ନି ପାରିଲିନି ।” ମିଲି କହିଲା, “ମୁଁ ସେହି ଝିଅ ନନା ! ଯିଏ ଏହିସବୁ ଚିତ୍ର ଏଠି ଆଙ୍କିଥିଲା । ମତେ ଚିହ୍ନି ପାରୁନାହାନ୍ତି !!”

ଆସ୍ତେ ଆସ୍ତେ ମଣ୍ଟୁ ଆଖିର ଚମକଟା ବଢ଼ି ଚାଲିଥାଏ, ମୁଁହରେ ପ୍ରଶ୍ନବାଚକ ଚାହାଣୀ । ଏତେଦିନ ପରେ, ସେହି ଜାଗାରେ, ସେଇ ଆଖିର ମିଳନ ! ଜାଣି ପାରୁ ନଥାଏ… ସତ ନା ସ୍ୱପ୍ନ !!

– ମିଲି ତମେ ଏଠି !!
– ହଁ, ତମ ପିଛା କରି କରି ଏ ଯାଏଁ ଚାଲି ଆସିଲି ।
– କ’ଣ ତମେ କହୁଛ ଯେ, ମୁଁ ବୁଝି ପାରୁନି । ସତ କୁହ ନା, ତମେ ଏଠି କେମିତି ! ତମକୁ ମୋ …..( ଆଗକୁ ଆଉ କହି ପାରିଲାନି ମାଣ୍ଟୁ)
– ସମୟ ଗୋଲ ଗୋଲ ବୁଲେଇ ବୁଲେଇ ପୁଣି ଏଇ ନଈ ପଠାକୁ ମତେ ଫେରେଇ ଆଣିଛି । ବାପାଙ୍କର ପୁଣି ଏଠାକୁ ବଦଳି ହେଇଗଲା । ବାପା ବୋଉ ସମସ୍ତେ ଆସିଛନ୍ତି ଆଉ ମାଉସୀଙ୍କ ସହ କଥା ହେଉଛନ୍ତି । (ଏତିକି କହି ଆସି ସେ ମଣ୍ଟୁ ପାଖରେ ବସି ପଡ଼ିଲା) ମାଉସୀ କ’ଣ କହୁଥିଲେ ଗୋଟେ ବଡ଼ ବୈଜ୍ଞାନିକ ହେଇଗଲଣି ତମେ !!!
– ନାହିଁ ମ । PhDଟା ଏବେ ସରିଲା । UCBରୁ ଅଫର ଆସିଛି । Final Vivaଟା ସାରି କି ଯିବି । ଆଉ ତିନି ଚାରି ମାସ ପରେ ।
– ମାନେ ତମେ ଆଉ ତିନି ଚାରି ମାସ ବାଙ୍ଗାଲୋରରେ ରହିବ !!! (ଏତିକି କହିଲା ବେଳକୁ ତା’ ଆଖିର ଚମକଟା ଅନ୍ୟ ଗୋଟେ କାହାଣୀ କହୁଥିଲା)
– ମୋ ବିଷୟରେ ତ ସବୁ ଶୁଣିଲ, ତମ ବିଷୟରେ ଏବେ କୁହ?
– ବାଣୀବିହାରରୁ ଫିଜିକ୍ସରେ ପିଜି ସାରି ଏବେ ସିଟିବ୍ୟାଙ୍କରେ ଚାକିରି ପାଇଛି । ତିନିମାସ ପାଇଁ ଟ୍ରେନିଂ ଦେଇଛନ୍ତି ବାଙ୍ଗାଲୋରରେ । ଟ୍ରେନିଂ ସରିଲା ପରେ ପୋଷ୍ଟିଂ କୋଉଠି ହେବ ଜଣା ପଡ଼ିବ ।
– ବାଙ୍ଗାଲୋର ତା’ହେଲେ କେବେ ଯାଉଛ?
– ଏହି ମାସ ଶେଷରେ ଯିବି । ଆର ମାସ ଏକ ତାରିଖରେ ଜଏନ ।

“ଆରେ ପିଲାମାନେ ଭୋଗ ନିଅ ।” କାଳିଆ ମଉସା ଗୋଟେ ଥାଳିରେ ଭୋଗ ଧରି ଆସିଲେ । “ଆଛା ମଉସା, ମନ୍ଦିର ମରାମତି, ରଙ୍ଗ ସବୁ ପାଇଁ କେତେ ଟଙ୍କା ଖର୍ଚ୍ଚ ହେବ?” ମଣ୍ଟୁ ପଚାରିଲା । କାଳିଆ ମଉସା କହିଲେ, “ମରାମତି ପାଇଁ ଟଙ୍କା ଅଛି । ବ୍ଳକ ତରଫରୁ ଆମ ମନ୍ଦିରକୁ ମିଳିଥିଲା । ହେଲେ କେହି ଦାୟିତ୍ଵ ନେଉ ନାହାଁନ୍ତି । ଟଙ୍କା ସେମିତି ପଡ଼ି ପଡ଼ି ଫେରିଯିବା ଅବସ୍ଥାରେ ।”

ମଣ୍ଟୁ କହିଲା, “ମଉସା ତମେ ଟଙ୍କା ଉଠେଇକି ଆଣ । ମରାମତି ଦାୟିତ୍ଵ ମୁଁ ନେବି । ପୁଣି ମିଲିକୁ ଅନେଇ କହିଲା, “କଣ ମିଲି, ମତେ ସାହାଯ୍ୟ କରିବ କି ନାହିଁ, ଚିତ୍ର ସବୁ ଆଙ୍କିବାରେ?” ମିଲି ହସି ହସି କହିଲା, “ଏଥିରେ କ’ଣ ଆଉ ପଚାରିବାର ଅଛି !!”

ଦାମ, ହରିଆ, ଶଙ୍କର ଆଉ ବେଣୁ ବି ରାଜି ହେଇଗଲେ ମଣ୍ଟୁକୁ ସାହାଯ୍ୟ କରିବା ପାଇଁ । ପନ୍ଦର କୋଡ଼ିଏ ଦିନ ଭିତରେ ମନ୍ଦିରର ପ୍ରାୟ ସବୁ କାମ ସରିଗଲା । ଚାଁହୁ ଚାଁହୁ ମାସଟା ସରି ଆସିଲା । ଦି’ଜଣଯାକ ସାଙ୍ଗ ହେଇ ବାଙ୍ଗାଲୋର ବାହାରିଲେ । ଗଲା ବେଳକୁ ଶାନ୍ତି ମାଉସୀର ଯୋଉ କାନ୍ଦ । କାନ୍ଦି କାନ୍ଦି ମଣ୍ଟୁକୁ କହିଲେ, “ପୁଅରେ, ମୋ ଝୁଅର ଟିକେ ଯତ୍ନ ରଖିବ ।” ମିଲି ରାଗି ଯାଇ କହିଲା, “ଏ ବୋଉ କାନ୍ଦ ବନ୍ଦ କର । ମୁଁ କୋଉ ଶାଶୁ ଘରକୁ ଯାଉନି ।”

ଏପଟେ ରମା ମାଉସୀ ଆଉ ଶାନ୍ତି ମାଉସୀ ଦି’ଜଣଯାକ ମନେ ମନେ ଭାବୁଥାନ୍ତି, ଦିନେ ନା ଦିନେ ତମେ ଦୁଇ ଜଣଯାକ ଏମିତି ଏକା ସାଙ୍ଗେ ଯାଅନ୍ତନି !!!!!

**************

ସାଙ୍କି ଟ୍ୟାଙ୍କର ଲେକ୍ କୂଳରେ ବସିଥାନ୍ତି ଦି’ଜଣଯାକ ମୁର୍ତ୍ତି ହେଇକରି ଅଧା ଘଣ୍ଟା ହେଲା । ମଣ୍ଟୁ ପଚାରିଲା, “ଆରେ ହେଲା କ’ଣ, ଏମିତି ମୁଁହକୁ ହାଣ୍ଡି କରି କାହିଁକି ବସିଛ?”

ମିଲି ରାଗିକି ଅନେଇଲା, କିନ୍ତୁ କିଛି କହିଲା ନାହିଁ । ମଣ୍ଟୁ ପୁଣି ପଚାରିଲା, “କ’ଣ ପାଇଁ ରାଗିଛ, କିଏ କ’ଣ କହିଲା ନା କ’ଣ?” ମିଲି ମୁଁହ ଛିଞ୍ଛାଡ଼ି କହିଲା, ସେ” ଶିଲାଟା ଆଜି ମୋର ମୁଡ୍ ଅଫ୍ କରି ଦେଇଛି ।” ମଣ୍ଟୁ ପଚାରିଲା, “କୋଉ ଶିଲା, ସିଏ ତମର କ’ଣ କଲା ।”

“କିଛି ନୁହଁ । କାଲି ଆମର ଶେଷ ଆସେସମେଣ୍ଟ ଥିଲା । ମୁଁ ପୁଣି ପ୍ରଥମ ଆସିଲି । ତା’ପରେ ମତେ ଗୋଟେ ଅପସନ୍ ଦିଆ ଯାଇଥିଲା, ଆମେରିକା ଯିବା ପାଇଁ; ପୁଣି LA, ଖୁସି ହେଇଯାଇଥିଲି କିଛି ବର୍ଷ ସେଠାକୁ ଯିବି । ଆଟ୍ ଲିଷ୍ଟ ତମେ ସେଠି ଥିବା ପର୍ଯ୍ୟନ୍ତ । ହେଲେ ସେ ଶିଲା ଆମ ସେ ହେଡ୍‌କୁ ପଟେଇ ଆମେରିକା ପୋଷ୍ଟିଙ୍ଗଟା ନେଇଗଲା । ମତେ ଏଇଠି ବାଙ୍ଗାଲୋରରେ ପୋଷ୍ଟିଙ୍ଗ ମିଳିପାରେ । ହେଲେ ତମେ ତ ପଳେଇବ । “

“ଆଚ୍ଛା, ତମ viva କେମିତି ହେଲା?” ମିଲି ପଚାରିଲା । ମଣ୍ଟୁ କହିଲା, “ଯାହା ହେଉ, ଏତେ ସମୟ ପରେ ମୋ କଥା ମନେ ତ ପଡ଼ିଲା ।” ” ସରି, ମୁଁ ପୁରା ମୋ ସମସ୍ୟା ଭିତରେ ତମ କଥା ପଚାରିବାକୁ ଭୁଲି ଯାଇଛି”, ସ୍ମିତ ହସ ମୁଁହରେ ମିଲି କହିଲା ।

“କ’ଣ ହେବ ! ଗୋଟେ ଶେଷ ଫର୍ମାଲିଟି ଥିଲା, ସରିଗଲା ।”

“ଆଚ୍ଛା, ଗୋଟେ କଥା ତମକୁ କହିବାର ଥିଲା, ହେଲେ ତମ ଶୁଖିଲା ଶୁଖିଲା ମୁଁହ ଦେଖି କହି ପାରିନଥିଲି ।” ମିଲି ଗୋଟେ ପ୍ରଶ୍ନୀଳ ଆଖିରେ ମଣ୍ଟୁକୁ ଚାହିଁଲା । “ମତେ ଏଠି ଗୋଟେ ଜବ୍ ଅଫର ଆସିଛି । ଦି ଦି ଥର ମତେ ଆପ୍ରୋଚ୍ କଲେଣି । ଭଲ ପ୍ୟାକେଜ୍ ବି ଦେଉଛନ୍ତି । କ’ଣ କରିବି ଜାଣି ପାରୁନି । ଭଲ ଜବ୍, କ୍ୟାରିଅର୍ ଗ୍ରୋଥ୍ ବି ଭଲ ଅଛି । UCLର profକୁ ବି ଲେଖିଥିଲି କ’ଣ କରିବି ବୋଲି । ସେ ବି suggest କଲା ଜଏନ୍ କରିବା ପାଇଁ । ଜଏନ୍ କଲା ପରେ ବି ଆମେ ସାଙ୍ଗ ହେଇ କାମ କରି ପାରିବୁ ।”

ମିଲି ଖୁସି ହେଇକି କହିଲା, “ଯାହା ହେଉ ଭଲ ହେଲା । ଆମେ ଦି ଜଣ ଏଇଠି ବାଙ୍ଗାଲୋରରେ ରହିବା । ମଣ୍ଟୁ ଥଟ୍ଟାରେ କହିଲା, କ’ଣ ଜୀବନ ସାରା ମୋ ପଛେ ପଛେ ବୁଲୁଥିବୁ !” “ନାହିଁ, ଯେତେ ଦିନ ଏଇଠି ଅଛି, ତମ ପାଖାପାଖି ତ ରହିବାକୁ ଦିଅ ।” ଏତିକି କହି ମଣ୍ଟୁ କାନ୍ଧରେ ମୁଣ୍ଡ ରଖି ଆଖିଟା ବନ୍ଦ କରି ଏକ ସ୍ୱପ୍ନ ରାଇଜକୁ ଚାଲିଗଲା କିଛି ସମୟ ପାଇଁ ।

ହ୍ୱାଇଟ୍ ଭିଲ୍ଡର ଆଉଟର୍ ରିଙ୍ଗ ରୋଡ଼ ଉପରେ ଏକ ଅତ୍ୟାଧୁନିକ ଆପାର୍ଟମେଣ୍ଟ । ତା’ର ପନ୍ଦର ମହଲାରେ ଦୁଇଟି ପାଖାପାଖି ଘର । ସେଥିରେ ରହୁଥାନ୍ତି ମଣ୍ଟୁ ଆଉ ମିଲି । ବ୍ୟସ୍ତ ବହୁଳ ଚାକିରିଆ ଜୀବନରେ ପାଖାପାଖି ରହି ମଧ୍ୟ ସପ୍ତାହରେ ଦେଖା ହେଉଥାଏ କେବଳ ଦିନେ ଦୁଇ ଦିନ । ଆଉ ସେତିକି ସମୟ ସେମାନେ କାଟି ଦିଅନ୍ତି ନିଜେ ନିଜର ସାହାରା ଆଉ ଦୁଃଖ ସୁଖ ବାଣ୍ଟିବାରେ ।

ସମୟ ଗଡ଼ି ଚାଲିଲା । ଜୀବନଟା ଆହୁରି ବ୍ୟସ୍ତମୟ ହେଇ ଚାଲିଲା । ପରସ୍ପର ପ୍ରତି ଦେଉଥିବା ସମୟ ବି କମିବାରେ ଲାଗିଲା । କିନ୍ତୁ ଦି ଜଣକ ମନର ଡୋରି ସେମିତି ମଜଭୁତ ଥାଏ । ଦି ଜଣକ ମନରେ ପରସ୍ପର ପାଇଁ ସ୍ନେହ, ଶ୍ରଦ୍ଧା, ଭଲ ପାଇବା ଭରି ହେଇଥାଏ । ହେଲେ ମନ ର କଥା କେବେ ବି ଓଠ ଉପରକୁ ଆସି ପାରୁ ନ ଥାଏ । ସବୁବେଳେ ମନର କଥା ଠାରୁ ହୃଦୟର ଡର ଜିତି ଯାଉଥାଏ ।

ଏପଟେ ଗାଁରେ ଶାନ୍ତି ମାଉସୀ ଆଉ ରମା ମାଉସୀଙ୍କ ଧୈର୍ଯର ବନ୍ଧ ଭାଙ୍ଗିବା ଅବସ୍ଥାରେ । ଭାବିଥିଲେ ଛୁଆ ଦିଟାଯାକ ତାଙ୍କ ଆଡ଼ୁ କିଛି ସଙ୍କେତ ଦେବେ ବୋଲି । ତାଙ୍କ ଭାବନା କେବଳ ଭାବନାରେ ରହିଗଲା । ନିଜ ଆଡ଼ୁ ବି କିଛି କହିବା ପାଇଁ ମଧ୍ୟ ଡରୁଥାନ୍ତି । ଆଧୁନିକ ପିଲା, ବାହାରେ ରହୁଛନ୍ତି, କାଳେ ଆଉ କାହାକୁ ପସନ୍ଦ କରି ସାରିଥିବେ । ଶେଷରେ ଦୁହେଁ ମିଶି ସ୍ଥିର କଲେ ତାଙ୍କ ପାଖକୁ ଯିବେ ଘଟଣାର ଟିକେ ତଦନ୍ତ କରିବା ପାଇଁ ।

ଶନିବାର ଥିଲ । ବହୁ ଦିନ ପରେ ଦି’ଜଣଙ୍କୁ ଟିକେ ସମୟ ମିଳିଥିଲା ଏକାଠି କିଛି ସମୟ ବିତାଇବା ପାଇଁ । ମିଲି ସେ ଦିନ ଦି’ଜଣଙ୍କର ମନ ପସନ୍ଦର ଖାଇବା ସବୁ ତିଆରି କଲା । ଏକାଠି ଖାଇବାକୁ ବସିଲା ବେଳକୁ ଫୋନ୍‌ଟା ରିଙ୍ଗ ହେଲା ।

“ହେଲୋ, ହଁ, ବୋଉ କ’ଣ ହେଲା?” ମଣ୍ଟୁ ପଚାରିଲା!! “ଆରେ କାଲି ମୁଁ ଆଉ ଶାନ୍ତି ତମ ପାଖକୁ ଆସୁଛୁ!!!”

“ହଠାତ, ଏମିତି, କଣ କିଛି କାମ ଥିଲା !!!!” ମଣ୍ଟୁ ମନରେ ହଜାରେ ପ୍ରଶ୍ନ ନେଇ ପଚାରିଲା । “କାହିଁକି, ଆମେ କଣ ଏମିତି ବୁଲି ଆସି ପାରିବୁନି ତମ ପାଖକୁ ।”

“ଠିକ୍ ଅଛି, କାଲି ଆମେ ଦି ଜଣ ଏଆରପୋର୍ଟ ଆସିବୁ, ତମକୁ ନେବା ପାଇଁ ।” ତା’ପରେ ଦି’ଜଣ ଯାକ ଖାଇବାରେ ଲାଗି ପଡ଼ିଲେ । ହେଲେ ଦି ଜଣଙ୍କ ମନରେ କିଛି ଅଜଣା ଆଶଙ୍କା ଆଉ ଡର ବସା ବାନ୍ଧି ଚାଲିଥିଲା ।

ଏଆରପୋର୍ଟରୁ ବାହାରୁ ବାହାରୁ ରମା ମାଉସୀ ମଣ୍ଟୁକୁ ଦେଖୁ ଦେଖୁ କହିଲେ, “ଆରେ ମୋ ଛୁଆଟା, ନ ଖାଇ ନ ପିଇ ପୁରା କଣ୍ଟା ହେଇ ଗଲାଣି ।” ମଣ୍ଟୁ ଆଖି ବଡ଼ ବଡ଼ କରି କହିଲା, “ହଉ ହଉ ଚାଲେ, ଯେତେବେଳେ ଦେଖିଲା ସେହି ଗୋଟିଏ ରେକର୍ଡ଼ ବଜେଇଲା ।”

ଏ କଥା ଶୁଣି ମିଲି କହିଲା, “ମାଉସୀ, ମୁଁ କିନ୍ତୁ ଖାଇ ପିଇ ମଜାରେ ଅଛି ।” ଶାନ୍ତି ମାଉସୀ ମୁଁହ ଫୁଲେଇ କହିଲେ, “କୋଉଠି ବା, ହାଡ଼ କଙ୍କାଳ ଦେଖା ଗଲାଣି ।” ମିଲି କହିଲା, “ହଉ ତୁ ପୁଣି ଆରମ୍ଭ କରନା, ଚାଲ ଯିବା ।”

ଭଲରେ ଭଲରେ କିଛି ଦିନ ବୁଲାବୁଲିରେ କଟିଗଲା । ଫେରିବା ସମୟ ଆସି ଗଲା । ରାତିରେ ରମା ମାଉସୀ ମଣ୍ଟୁକୁ ପଚାରିଲେ, ଆରେ ପୁଅ, ଆମେ ତ ବୁଢ଼ାବୁଢ଼ୀ ହେଲୁ । ତୁ ତ ଜୀବନସାରା ପଢ଼ାରେ ସାରି ଦେଲୁ । ଆଉ ଆମେ ବୋହୂ ଆଉ ନାତିନାତୁଣୀ ମୁଁହ ଦେଖିବୁ କି ନାହିଁ ।

ମଣ୍ଟୁ ଏ କଥା ଶୁଣି କହିଲା, “ତୁ ତା’ହେଲେ ଏଇଥିପାଇଁ ଆସିଥିଲୁ?” “ଆଉ କ’ଣ ଆମେ କରିବୁ? ତୁ ତ ପାଠ ପଢ଼ା ଛଡ଼ା ଆଉ କୋଉଥିରେ ମୁଣ୍ଡ ପୁରାଉ ନାହୁଁ । ତୋ ବାପକୁ କହିଲେ, ସେ କହୁଛନ୍ତି, ତା’ କଥା ସେ ବୁଝିବ । ମୁଁ ଆଉ କ’ଣ କରିବି ତୁ କହୁନୁ ।” ଅଭିମାନ ଭରା କଣ୍ଠରେ ରମା ମାଉସୀ କହିଲେ ।

ମଣ୍ଟୁ କହିଲା, “ବୋଉ ତୁ ବ୍ୟସ୍ତ ହଅନା । ଦେଖ, ମୋର ନୂଆ ନୂଆ ଚାକିରି, କାମ ପ୍ରେସର ବହୁତ । ମୁଁ ଏବେ ବାହା ହେବିନି ।” ମାଉସୀ ପଚାରିଲେ, “ଦେଖ୍ ଆମର ବଳ ବୟସ ଆଉ ନାହିଁ, ତୋ ପାଇଁ ଝିଅ ଖୋଜିବାକୁ । ତୋ ନଜରରେ ଯଦି କିଏ ଅଛି ଆମକୁ କହିଦେ, ଆମେ ଯାଇ କଥା ହେବୁ ।”

ମଣ୍ଟୁ ରାଗି ଯାଇ କହିଲା, “ନାହିଁ ମୋର ସେମିତି କିଛି ନାହିଁ କି ମୁଁ ଏବେ ବାହା ହେବିନି ।”

“ଆଲୋ ମା, ସୀମାର ବାହାଘର ହେଇଗଲା । ରୀନାର ଦୁଇଟା ଛୁଆ ହେଇ ଗଲେଣି । ଆଉ ତୁ କ’ଣ ଏମିତି ବୁଢ଼ୀ ହେଇକି ଥିବୁ ।” ଶାନ୍ତି ମାଉସୀ ପଚାରିଲେ । “ବୋଉ, ତୁ ପୁଣି ଆରମ୍ଭ ହେଇ ଯାଆନା । ମୋର ଏବେ ବାହାଫାହା ହେବାର ନାହିଁ ।” ମିଲି ଆଖି ବନ୍ଦ କରି ଶୋଇବାର ବାହାନା କରି କହିଲା ।

ଶାନ୍ତି ମାଉସୀ ଆସି ତା’ କାନ ପାଖରେ ଫୁସୁ ଫୁସୁ ହେଇ କହିଲେ, “ହେଇ, ଯଦି ତୋ ମନରେ କେହି ଅଛି କହି ଦେଉନୁ । ଆମ କାମ ଟିକେ ହାଲକା ହେଇଯିବୁ ।” “ବୋଉ ତୁ ଶୋଇଲୁ । ସକାଳୁ ସକାଳୁ ଉଠିବାର ଅଛି । ନ ହେଲେ ତୋ ଫ୍ଲାଇଟ୍ ମିସ୍ ହେଇ ଯିବ ।” ସକାଳ ଫ୍ଲାଇଟ୍‌ରେ ଦି’ବୁଢ଼ିଯାକ ବସି କଥା ହେଉଥାନ୍ତି, “ଦି’ଜଣଯାକ ଦି ଜଣ ପାଇଁ ମରୁଛନ୍ତି, ହେଲେ କହିବାକୁ ଡରୁଛନ୍ତି । ଲାଗୁଚି ଆଙ୍ଗୁଠିକୁ ବଙ୍କା କରିବାକୁ ହେବ ।”

ଦି ବୁଢ଼ୀଯାକ ବୁଲାବୁଲି କରି ଘରେ ପହଞ୍ଚିଗଲେ । ପହଞ୍ଚୁ ପହଞ୍ଚୁ ଦି’ବୁଢ଼ାଯାକ ପଚାରିଲେ, “କିଛି କାମ ହେଲା??” ଏହି ଶୁଣି ରମା ମାଉସୀ କହିଲେ, “ହେବ ଯେ କିନ୍ତୁ ସିଧା ଆଙ୍ଗୁଠିରେ ହେବନି, ବଙ୍କା କରିବାକୁ ପଡ଼ିବ । ତମେ ସେ ସବୁ ଆମ ଉପରେ ଛାଡ଼ିଦିଅ ।”

ସେପଟେ ମଣ୍ଟୁ ଅଫିସରେ ବସି ବୋଉର ରାତି କଥା ଭାବୁଥାଏ । ବୋଉ କହିକି ଯାଇଛି ତୁ ଯଦି କରିବୁ କିଛି କର, ନ ହେଲେ ପରେ ଆମକୁ ଦୋଷ ଦେବୁନି । କେମିତି ବୋଉ କୁ କହିବି.. ମିଲି ଛଡ଼ା ସେ ଆଉ କାହାକୁ ତା’ ଜୀବନେ ଦେଖି ବି ପାରିବ ନାହିଁ । ହେଲେ ଯଦି କହିବି ବୋଉ କ’ଣ ଭାବିବ !! ମଉସା ମାଉସୀ କ’ଣ ଭାବିବେ । ବହୁତଥର ମନ କଥା ମିଲିକୁ କହିବା ପାଇଁ ଓଠ ଉପରକୁ ଆଣି ସେ ରହି ଯାଇଛି, କାଳେ ମିଲି ଖରାପ ଭାବିବ ବୋଲି । ଯଦି ସେ ମନା କରି ଚାଲିଯିବ !! ଗୋଟେ ଭଲ ସାଙ୍ଗ ବି ସେ ହରେଇ ବସିବ ।

“ହେଲୋ ମାଡାମ, what are you thinking? Take my form.” କାହାର ଗୋଟେ ଡାକରେ ମିଲି ଚମକି ପଡ଼ିଲା । ଦେଖିଲା କାଉଣ୍ଟର ଆଗରେ ଲମ୍ବା ଲାଇନ । ସକାଳୁ ସେ ବୋଉର କଥାଗୁଡ଼ାକ ତା’କାନରେ ବାଜି ଚାଲିଛି । ସେପଟେ ମଣ୍ଟୁର ଯୋଉ ଅବସ୍ଥା ଏ ପଟେ ମିଲିର ବି ସେହି ଅବସ୍ଥା । ହେଲେ ସେ ଦୂରତ୍ୱକୁ କମେଇବା ପାଇଁ ପାଦ ବଢ଼େଇବାର ସାହସ କାହାର ନାହିଁ ।

ହଠାତ ଫୋନଟା ବାଜିଲା । ଦେଖିଲା ବାପା ଫୋନ କରିଛନ୍ତି । ଭାବିଲା ପୁଣି ଥରେ ସେହି କଥା ସବୁ ଆରମ୍ଭ ହେବ ବୋଧେ । କିନ୍ତୁ ବାପାଙ୍କ କଥା ଶୁଣି ତା ହାତରୁ ମୋବାଇଲଟା ଖସି ପଡ଼ିଲା । ବୋଉ ଘରେ ପହଞ୍ଚିଲା ପରେ ତା’ ଦେହ ବହୁତ ଖରାପ । ତାକୁ ସାଙ୍ଗେ ସାଙ୍ଗେ ଯିବାକୁ ପଡ଼ିବ । ଦୌଡ଼ିଲା ମ୍ୟାନେଜର ରୁମକୁ । ତାକୁ ଛୁଟି ବି ମିଳିଗଲା । କଲ୍ କଲା ମଣ୍ଟୁକୁ । ଫୋନଟା ରିଙ୍ଗ ହେଇ ହେଇ କଟିଗଲା । ରାଗରେ ମନେ ମନେ ବହେ ଶୋଧିଲା ମଣ୍ଟୁକୁ । ପୁଣି ଆଉ ଥରେ କଲ୍ କଲା । ମଣ୍ଟୁ ସେପଟେ ଫୋନ ଉଠେଇ କହିଲା, “ମିଲି, ବୋଉର ଦେହ ବହୁତ ଖରାପ ।” ଏବେ ବାପା ଫୋନ କରିଥିଲେ, ମତେ ଏବେ ଘରକୁ ଯିବାକୁ ପଡ଼ିବ । ମିଲି କହିଲା, “କ’ଣ ହେଲା, ମାଉସୀଙ୍କ ବି ଦେହ ଖରାପ । ସେ ପଟେ ବୋଉ ଦେହ ବି ଖରାପ, ବାପା ଏବେ ଫୋନ କରିଥିଲେ । ମୁଁ ବି ବାହାରୁଛି ଘରକୁ । ସେଥି ପାଇଁ ତମକୁ ଫୋନ କରିଥିଲି ।” ମଣ୍ଟୁ କହିଲା, “ଠିକ ଅଛି, ତମେ ଘରକୁ ଆସ । ମୁଁ ଟିକେଟ ବୁକ କରି ପହଞ୍ଚୁଛି, ସନ୍ଧ୍ୟା ଫ୍ଲାଇଟରେ ଯିବା ।”

“ତମେ କ’ଣ ଗାଁକୁ ଯିବ?” ମିଲି ପଚାରିଲା ମଣ୍ଟୁକୁ । “ହଁ, ଭୁବନେଶ୍ୱର ପହଞ୍ଚି ମତେ ଘରକୁ ଯିବାକୁ ପଡ଼ିବ । କାହିଁକି, ତମେ ଯିବନି କି? ମଣ୍ଟୁ ପଚାରିଲା । “ନାହିଁ, ବୋଉ ଏବେ ମାଉସୀଘରେ ଭୁବନେଶ୍ୱରରେ ଅଛି, ମୁଁ ସେଠିକି ଯିବି ।”

ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚି ମଣ୍ଟୁ ଆଉ ମିଲି ଘରକୁ ଗଲେ । ମଣ୍ଟୁ ଘରେ ପହଞ୍ଚି ଦେଖିଲା ବାପା ବୋଉ ଆରାମରେ ବସି ଟିଭି ଦେଖୁଥାନ୍ତି । ସେ ଏ ସବୁ ଦେଖି ରାଗରେ ପଞ୍ଚମ । “ବାପା ଏ ସବୁ କ’ଣ ଚାଲିଛି, ମୁଁ ମୋର ସବୁ ଅଫିସ କାମ ଛାଡି ଦୌଡ଼ି ଦୌଡ଼ି ଆସିଲି, ବୋଉ ତ ଏଠି ଆରାମରେ ବସିଛି ।” “ତୋର ଯାହା ପଚାରିବାର ଅଛି ତୋ ବୋଉକୁ ପଚାରେ” କହି ସେ ଭିତରକୁ ଚାଲିଗଲେ ।

“ଆ, ମୋ ପାଖରେ ବସ । ତୋ ବାପା ତୋ ପାଇଁ ଗୋଟେ ଝିଅ ଦେଖିଛନ୍ତି । ତତେ ଯଦି କହିଥାନ୍ତି, ଝିଅ ଦେଖିବାକୁ ଆସ ବୋଲି ତୁ କେବେ ଆସି ନଥାନ୍ତୁ । ତେଣୁ ମତେ ବାଧ୍ୟ ହେଇ ଏ ସବୁ ଯାତ୍ରା କରିବାକୁ ପଡ଼ିଲା ।” ମଣ୍ଟୁ କିଛି କହି ଆସୁଥିଲା, ହେଲେ ବୋଉ କହିଲେ, “ଦେଖ, ମୁଁ କିଛି ବି ଶୁଣୁବି ନାହିଁ, କାଲି ଆମେ ସମସ୍ତେ ଯାଉଛେ ଭୁବନେଶ୍ୱର ଝିଅ ଦେଖିବା ପାଇଁ ।”

“ସେପଟେ ଶାନ୍ତି ମାଉସୀ ଦେହ ଖରାପ, ତମେମାନେ ତାଙ୍କୁ ଦେଖା କରିବାକୁ ନ ଯାଇ, ଏହି ସବୁ ଡ୍ରାମା କରୁଛ ଏଠି”, ମଣ୍ଟୁ କହିଲା । ତା’କଥା ଶୁଣି ବୋଉ କହିଲେ, “ଆମେ ଏବେ ତା’ ସହ କଥା ହେଇଛୁ, ସେ ଏବେ ଭଲ ଅଛି । କାଲି ଗଲେ ଦେଖା କରି ଆସିଯିବା ।”

“ମାଉସୀ ମାଉସୀ ବୋଉ କାହିଁ, ସେ କେମିତି ଅଛି?” ମିଲି ଘରେ ପଶୁ ପଶୁ ପୁରା ଚିଲେଇ ଚିଲେଇ କହିଲା । ମାଉସୀ କହିଲେ, “ଆରେ ତୁ ବ୍ୟସ୍ତ ହଅନା, ସେ ଭିତରେ ଅଛି ।” ଘର ଭିତରେ ପଶି ସେ ଦେଖିଲା ବୋଉ ବସି ଚାହା ପକୁଡ଼ି ମାଡ଼ କରୁଛି । ମିଲି କିଛି କହିବା ଆଗରୁ ସେ ତାକୁ କହିଲେ, “ଭଲ ହେଲା ତୁ ଆସିଲୁ । ତୋ ବାପା ତୋ ପାଇଁ ଗୋଟେ ଭଲ ପ୍ରସ୍ତାବ ଦେଖିଛନ୍ତି, ଆମେ କାଲି ସେ ପୁଅକୁ ଦେଖିଯିବା ।” ଏତିକି କହି ସେ ମିଲିର ଉତ୍ତରକୁ ଅପେକ୍ଷା ନ କରି ଚାଲିଗଲେ ।

ଆସିଗଲା ଦୁଇ ଜଣଙ୍କ ପରୀକ୍ଷାର ଦିନ । ରାତି ସାରା ଦୁହେଁଯାକ ଖାଲି ଛଟ ପଟ ହେଉଥାନ୍ତି । ବାରମ୍ବାର ଫୋନ ଉପରକୁ ହାତ ଯାଇ ରହି ଯାଉଥାଏ । ଆଖିରେ ଆଖିଏ ନିଦ ହେଲେ ମନ କିପରି ଶୋଇବ । ସେମିତି ଛଟ ପଟ ହେଇ ରାତି ପାହିଗଲା । ସକାଳୁ ସକାଳୁ ମଣ୍ଟୁ ବାପା ବୋଉଙ୍କ ସହ ଆସି ପହଞ୍ଚିଲା ମେ-ଫେୟାର ହୋଟେଲରେ । ମଣ୍ଟୁ ଆଶ୍ଚର୍ଯ୍ୟ ହେଇ ବାପାଙ୍କୁ ଅନେଇ କହିଲା, “ଆମେ ଏଠିକି କାହିଁକି ଆସିଲେ?” ବାପା କହିଲେ, “ଆରେ ସେ ଝିଅର ପରିବାର ବାହାରେ ରୁହନ୍ତି, ସେ ଗୋଟେ ଦିନ ପାଇଁ ଭୁବନେଶ୍ୱର ଆସିଥିଲେ, ଆମେ ଭାବିଲୁ ଏଇଠି ଦେଖା ହେଇଯିବ ।”

ହୋଟେଲ ଭିତରେ ପଶୁ ପଶୁ ବୋଉ ମଣ୍ଟୁକୁ କହିଲେ, “ଆରେ ଆମେ ତ ସେ ଗିଫ୍ଟ ପାକେଟଟା ଆଣିବାକୁ ଭୁଲିଗଲେ ।” ଏତିକି କହି ସେ ତ ବାପାଙ୍କ ସହ ଝଗଡ଼ା ଆରମ୍ଭ କରିଦେଲେ । ମଣ୍ଟୁ ରାଗିକି କହିଲା, “କ’ଣ ପାଇଁ ସବୁ ବେଳେ ଛୋଟ ଛୋଟ କଥାରେ ଝଗଡ଼ା କରୁଛ? କାର୍ ଭିତରେ ତ ଅଛି, ମୁଁ ଯାଇ ନେଇକି ଆସୁଛି ।” ଏହା ଶୁଣି ତା ବାପା କହିଲେ, “ତୁ ରହ ଏଠି, ଆମେ ଯାଉଛୁ ।” “ଦି’ଜଣ କ’ଣ ପାଇଁ?” ମଣ୍ଟୁ ପଚାରିଲା । “ଆରେ କାର୍ ଭିତରେ ବହୁତ ଜିନିଷ ଅଛି, ତୋ ବାପା ଜାଣି ପାରିବେନି ।” ବୋଉ ତାକୁ କହିଲେ, “ତୁ ଗୋଟେ କାମ କର, ରୁମ ନଂ ୨୦୩କୁ ଯା । ସେ ଝିଅର ପରିବାର ସେଇଠି ଅଛନ୍ତି, ଆମେ ଶୀଘ୍ର ଆସୁଛୁ ” ଏହା କହି ସେମାନେ ଚାଲିଗଲେ ।

ମଣ୍ଟୁ ଅନିଚ୍ଛା ସତ୍ତ୍ୱେ ଆଗକୁ ବଢ଼ିଲା । ଯାଇ ପହଞ୍ଚିଲା ରୁମ ନଂ ୨୦୩ ଆଗରେ । ଘଣ୍ଟି ବଜେଇଲା, କିନ୍ତୁ କିଛି ଉତ୍ତର ମିଳିଲା ନାହିଁ । ଦେଖିଲା କବାଟ ଖୋଲା ଅଛି, ଆସ୍ତେ ଆସ୍ତେ କବାଟ ମେଲା କରି ଭିତରକୁ ପଶିଲା । ଭିତରେ କିନ୍ତୁ କେହି ନଥିଲେ । ହଠାତ ଭିତରେ ଥିବା ଆଉ ଗୋଟେ ରୁମର କବାଟ ଖୋଲିଲା, ଆଉ ରୁମ ଭିତରକୁ ଆସିଲା …………….. ମିଲି.

ପାଖ ଘର ଭିତରେ ଲୁଚି ଲୁଚି ସବୁ ଦେଖୁଥିବା, ଶାନ୍ତି ମାଉସୀ କହିଲେ, “ଆଲୋ ରମା, ଆଙ୍ଗୁଠି ତ ବଙ୍କା କଲେ, ଏତିକିରେ ହେଇଯିବ, ନା ଆଉ ଟିକେ କରିବାକୁ ପଡ଼ିବ?” ରମା ମାଉସୀ ହସି ହସି କହିଲେ, “ତାଙ୍କ ଭିତର ପାଚେରୀରେ ଆମେ ଗୋଟେ ଛୋଟ କଣା କରି ଦେଇଛେ, ପାଚେରୀଟା ଭାଙ୍ଗିବାକୁ ଆଉ ବେଶୀ ସମୟ ଲାଗିବ ନାହିଁ ।”
ଆଉ ଆର ପଟ ଘରେ ମଣ୍ଟୁ ଆଉ ମିଲି ଦୁହେଁ ଆଲିଙ୍ଗନରେ ଆବଦ୍ଧ ହେଇ ଧୀରେ ଧୀରେ ସ୍ୱପ୍ନ ରାଇଜରେ ବୁଡ଼ି ବୁଡ଼ି ଯାଉଥିଲେ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu