ଅନୁତାପ
ଅନୁତାପ

ଅନୁତାପ

ବାହାଘର ଦୁଇଟି ମନର ମିଳନ । ଅଗ୍ନିକୁ ସାକ୍ଷୀ ରଖି ବେଦୀ ଚାରିପଟେ ସାତ ଘେରା ବୁଲିଗଲେ ଦୁନିଆଟା ସିନା ତାକୁ ବାହାଘର କହିଥାଏ । ହେଲେ ପ୍ରକୃତରେ କ’ଣ ବାହାଘରର ମାନେ ସେୟା? କେତେବେଳେ ସେହି ବାହାଘର କାହାର ଅନିଚ୍ଛା ସତ୍ତ୍ୱେ ହୋଇଥାଏ ତ କେତେବେଳେ କାହାକୁ ଜୋର ଜବରଦସ୍ତି କାହା ବେକରେ ଛନ୍ଦି ଦିଆ ଯାଇଥାଏ । ପରବର୍ତ୍ତୀ ସମୟରେ ସେମାନଙ୍କ ବୈବାହିକ ଜୀବନରେ ମତ-ପାର୍ଥକ୍ୟ ଦେଖା ଦେଇଥାଏ ଓ ପରିବାରରେ ଅଶାନ୍ତି ଲାଗି ରହିଥାଏ ।

ସମୟ ଥିଲା ପୁଅଝିଅମାନେ ପରିବାରର ସ୍ୱୀକୃତିକୁ ସମ୍ମାନ ଦେଇ ବାହା ହୋଇ ଯାଉଥିଲେ । ଆଉ ନିଜର ଭାଗ୍ୟକୁ ଆଦରି ଜଣେ ଅନ୍ୟକୁ ଆଦରି ନେଉଥିଲେ । ଆଉ ନିଜର ବୈବାହିକ ଜୀବନ ହସ ଖୁସିରେ କାଟି ଦେଉଥିଲେ । ଧୀରେ ଧୀରେ ସେହି ପରମ୍ପରା ବଦଳିବାକୁ ଲାଗିଲା । ବିବାହ ପୂର୍ବରୁ ପୁଅଝିଅମାନଙ୍କୁ ସାମ୍ନାସାମ୍ନି ଦେଖିବାର ସୁଯୋଗ ମିଳିଲା । ଆଉ ପରିବାର ଲୋକମାନେ ସେମାନଙ୍କଠାରୁ ଅନୁମତି ନେଇ ଏହି ବିବାହ କାର୍ଯ୍ୟ ସମ୍ପାଦନ କଲେ । ପୁଣି କିଛି ପରିବର୍ତ୍ତନ ଆସିଲା, ପୁଅଝିଅମାନଙ୍କୁ ଖୋଲାଖୋଲି ଭାବେ ମିଶିବାର ସୁଯୋଗ ଦିଆଗଲା । ଜଣେ ଅନ୍ୟ ଜଣଙ୍କର ପସନ୍ଦ ନାପସନ୍ଦ ଭଲ ମନ୍ଦ ଇତ୍ୟାଦି ବିଷୟରେ ଅବଗତ ହେଲା ପରେ ଯଦି ସେମାନେ ଅନୁଭବ କଲେ ଦୁହେଁ ଦୁହିଁଙ୍କ ସହିତ ସୁଖ ଶାନ୍ତିରେ ରହି ପାରିବେ ତା’ହେଲେ ବିବାହ ସ୍ଥିର କରଗଲା । ଅବଶ୍ୟ ଏ କ୍ଷେତ୍ରରେ ପ୍ରେମବିବାହର କଥା ଅଲଗା । ଆଉ ଯୌତୁକ ପ୍ରଥାଟି ପ୍ରଥମରୁ ଆଜିଯାଏଁ ମଧ୍ୟ ରହି ଆସିଛି । କିନ୍ତୁ ଧୀରେ ଧୀରେ ତାହା ବଦଳିବାରେ ଲାଗିଛି । ଯୌତୁକର ଅର୍ଥ ହେଲା କିଛି ଦାବି କରିବା । ଆଗରୁ ପୁଅମାନଙ୍କ ଯୋଗ୍ୟତାକୁ ମାପି କେତେବେଳେ ଝିଅ ଘର ସ୍ଵଇଚ୍ଛାରେ ଏହି ଯୌତୁକ ପ୍ରଦାନ କରୁଥିଲେ ତ କେତେବେଳେ ବରଘର ତରଫରୁ ଦାବି କରାଯାଉଥିଲା । ଏବେ କିନ୍ତୁ ସମୟ ବଦଳି ଯାଇଛି, ବର ପାତ୍ର ପାଇଁ କନ୍ୟା ମିଳିବା ମଧ୍ୟ କଷ୍ଟ ହୋଇ ପଡ଼ିଲାଣି । ଯୌତୁକ କଥା ଦୂରେ ଥାଉ ଏବେ କନ୍ୟା ଘର ତରଫରୁ ଦାବି କରିବା ଆରମ୍ଭ ହୋଇ ଗଲାଣି ।

ସେଦିନ ରାଧକାନ୍ତ ସାହୁ ଆଉ ତାଙ୍କ ସ୍ତ୍ରୀ ମାଳତୀ ଦେବୀ ଯାଇଥିଲେ କନ୍ୟା ଘରକୁ ନିଜର ପୁଅ ପାଇଁ କନ୍ୟାପାତ୍ରୀ ଦେଖିବାକୁ । ଆଉ ସେମାନେ କିଛି ପଚାରିବା ଆଗରୁ ଦୁହେଁ କହି ପକାଉଥିଲେ “ଆଜ୍ଞା ଆମର ଗୋଟିଏ ବୋଲି ପୁଅ । ଆମ ବୁଢାବୁଢ଼ୀ ଅନ୍ତେ ସବୁ ସମ୍ପତି ସେ ହିଁ ଉପଭୋଗ କରିବ । କେଉଁଥିକୁ ଅଭାବ ନାହିଁ । ଆପଣ ଖାଲି ହଁ କହିଦେଲେ, ବିବାହ ସାଙ୍ଗେ ସାଙ୍ଗେ କରିଦେବା । ଆପଣଙ୍କ ଝିଅ ମାଲିକାଣୀ ହୋଇ ରହିବ । କୋଉଠିକି ଅଭାବ କରିବୁନି ।”

“କ୍ଷମା କରିବେ ଆଜ୍ଞା, ଆପଣଙ୍କ ପୁଅର ଉଚ୍ଚତା ଟିକେ କମ, ତେଣୁ ମୋ ଝିଅ ନାପସନ୍ଦ କରୁଛି । ସିଏ ଚାହୁଁଛି ଅନ୍ତତଃ ଛଅ ଫୁଟ ଉଚ୍ଚତା ଥିବା ଭଳିଆ ବର ଗୋଟେ । ନଥିଲେ ବି ଚଳିବ ଅନ୍ତତଃ ପକ୍ଷେ ଘରେ ବଡ଼ କାରଟିଏ ଥିବ । ସକାଳୁ ସଞ୍ଜ, ଘରେ ଖଟିବା ପାଇଁ ଚାକରବାକର ଥିବେ ।”

“ସେସବୁ ବ୍ୟବସ୍ତା ବିବାହ ପୂର୍ବରୁ କରିଦେବୁ । ଆପଣ ଖାଲି ହଁ କୁହନ୍ତୁ । ଦେଖନ୍ତୁ ବହୁ ଆଶା କରି ଆସିଛୁ । ବାର ଦୁଆର ଶୁଣ୍ଢିପିଣ୍ଡା ହେଲୁଣି, କୋଉଠିବି ପ୍ରସ୍ତାବଟେ ହେଉନି । ଆପଣ ଯଦି ଚାହାନ୍ତି ଆମେ ଅଗ୍ରୀମ କିଛି ଅର୍ଥ ଦେବାର ବ୍ୟବସ୍ଥା ବି କରିଦେବୁ । ଆପଣ ଖାଲି ହଁ କୁହନ୍ତୁ ।”

“ଦେଖନ୍ତୁ ଦୁନିଆରେ ଝିଅଙ୍କ ସଂଖ୍ୟା କମି କମି ଯାଉଛି । ଆମର ବହୁତ ଜାଗାରୁ ପ୍ରସ୍ତାବ ଆସୁଛି । ସମସ୍ତେ ଥିଲାବାଲା ଘର । ଆଉ ସେମାନେ ଆମର ସବୁ ପ୍ରସ୍ତାବ ଆଉ ସର୍ତ୍ତରେ ମଧ୍ୟ ରାଜି ହେଉଛନ୍ତି, ତେଣୁ ଆମେ ଏତେ ଭଲ ଭଲ ପ୍ରସ୍ତାବ ଛାଡ଼ି ତୁମ ପୁଅ ସାଙ୍ଗେ ବାହାଘର କରେଇବୁ କାହିଁକି ! ଏମିତି ତ ଆମ ଝିଅ ତୁମ ପୁଅକୁ ପସନ୍ଦ କରୁନି । ତା’ପରେ ବି ସିଏ କିଛି କାମଦାମ ଶିଖିନି । ଫେସବୁକ ହ୍ଵାଟ୍ସଆପରେ ତା’ର ଦିନ ବିତୁଛି । ମାସକୁ ମାସ ତା’ର ଇଣ୍ଟରନେଟ ପ୍ୟାକ ମଧ୍ୟ ଦରକାର । ତୁମ ଘରେ ଚାକର ବାକର ମଧ୍ୟ ନାହାନ୍ତି । ତେଣୁ ଆମେ ତାକୁ ତୁମ ପୁଅ ସହିତ ବାହା ଦେଇ ପାରିବୁନି, ତୁମେ ଅନ୍ୟଆଡ଼େ ଦେଖ ।”

ମନ ଦୁଃଖରେ ଘରକୁ ଫେରି ଆସିଲେ । ସନ୍ଧ୍ୟା ଗଡ଼ି ରାତି ହେଲା, ସେମିତି ବିଛଣାରେ ପଡ଼ିଥାନ୍ତି କିନ୍ତୁ ଆଖିକୁ ନିଦ ଆସୁନଥାଏ । ପୁଅକୁ ଆସି ୩୨ ବର୍ଷ ହେଲାଣି । ଏଯାଏଁ ତା’ପାଇଁ କନ୍ୟାପାତ୍ରଟେ ଯୋଗାଡ଼ କରି ପାରିଲେନି । ମାଳତୀ ଦେବୀଙ୍କ ଆଖିରେ ନାଚି ଯାଉଥାଏ ପୂର୍ବର ସେହି ସବୁ କାହାଣୀ । ପୁଅ ଆଶା କରି କରି ୪ ଥର ସେ କନ୍ୟାଭ୍ରୁଣ ହତ୍ୟା କରାଇଛନ୍ତି । ଯାହାର ଫଳ ସ୍ୱରୂପ ଆଜି ତାଙ୍କୁ ଏତେ ହୀନସ୍ତା ହେବାକୁ ପଡ଼ୁଚି । ଖାଲି ମାଳତୀ ଦେବୀ ନୁହେଁ, ଦୁନିଆରେ ଅନେକ ପିତାମାତା ପୁଅ ଆଶାରେ କନ୍ୟାଭ୍ରୁଣ ହତ୍ୟା କରୁଛନ୍ତି । ଯାହା ଫଳରେ ଝିଅଙ୍କ ସଂଖ୍ୟା କମି କମି ଯାଉଛି । ପୁଅମାନଙ୍କୁ ଝିଅ ମିଳୁନି ବିବାହ କରିବା ପାଇଁ । ବାକି ଯେତେ ଝିଅ ରହିଲେ, ସେମାନଙ୍କ ସବୁ ଦାବି ପୂରଣ କରିବାକୁ ପୁଅମାମେ ସକ୍ଷମ ହେଇ ପାରୁନାହାନ୍ତି ।

କିନ୍ତୁ ଯଦି କନ୍ୟାଭ୍ରୁଣ ହତ୍ୟା ନହୁଅନ୍ତା ତା’ହେଲେ କ’ଣ ଏତେ ଅସୁବିଧା ହୁଅନ୍ତା? ଆଜିକାଲି ଝିଅମାନେ କୌଣସି ଗୁଣରେ କମ ନୁହନ୍ତି । ଆଉ ଯଦି ଏମିତି ଚାଲୁ ରୁହେ ତା’ହେଲେ ଦିନ ଆସିବ କୋଟି କୋଟି ଟଙ୍କା ଖର୍ଚ୍ଚ କରି ମଧ୍ୟ ନିଜର ପୁଅ ପାଇଁ ଝିଅଟିଏ ଯୋଗାଡ଼ କରିବା ଅସମ୍ଭବ ହୋଇ ପଡ଼ିବ ।

ମାଳତୀ ଦେବୀ ଭାବୁଥାନ୍ତି, “ନିଶ୍ଚିତ ଏହା ମୋର କଲା କର୍ମର ଫଳ । ଯାହାର ପ୍ରାୟଶ୍ଚିତ କରିବା ପାଇଁ ମଧ୍ୟ ଉପାୟ ନାହିଁ ।”

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu